ନୂଆ ମୋଟରଯାନ ସଂଶୋଧନ ବିଲ ନିୟମ ଅନୁଯାୟୀ ନାବାଳକ ଗାଡି ଦୁର୍ଘଟଣା କଲେ ବାପା ମା ଙ୍କୁ ଦେବାକୁ ପଡିବ ଏତେ ଟଙ୍କା ଜରିମାନା

ସଡ଼କ ନିରାପତ୍ତା ବୃଦ୍ଧି ଲାଗି ଅଣାଯାଇଥିବା ମୋଟରଯାନ (ସଂଶୋଧନ) ବିଲ୍‌ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଥିରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ପାଇଁ ଦଣ୍ଡବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ହେଲେ ୫ ଲକ୍ଷ ଏବଂ ଗୁରୁତର ଆହତ ହେଲେ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଗତ ୨୩ ତାରିଖରେ ଏହି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲା।

ଦେଶରେ ୨୨ରୁ ୨୫ ଲକ୍ଷ ଡ୍ରାଇଭର ଅଭାବ ରହିଛି। ଏହାର ପୂରଣ ଲାଗି ସରକାର ତାଲିମ କେନ୍ଦ୍ର ଖୋଲିବାକୁ ଯୋଜନା କରୁଛନ୍ତି। ପ୍ରତି ତାଲିମ କେନ୍ଦ୍ର ପାଇଁ ସରକାର ୧ କୋଟି ଟଙ୍କା ଲେଖାଏ ସବ୍‌ସିଡି ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଡ଼କରୀ କହିଥିଲେ।ବ୍ୟବସ୍ଥା ଅନୁଯାୟୀ ଜରୁରିକାଳୀନ ଯାନକୁ ବାଟ ନ ଛାଡିଲେ ୧୦ ହଜାର ଏବଂ ଅଯୋଗ୍ୟ ଘୋଷିତ ହେବା ସତ୍ତ୍ୱେ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଡ୍ରାଇଭିଂ ଲାଇସେନ୍ସ ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ବିଲ୍‌ରେ ରହିଥିବାବେଳେ ଅଧିକ ବେଗରେ ଚଳାଚଳ ପାଇଁ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ସେହିପରି ବିନା ବୀମାରେ ଗାଡ଼ି ଚଳାଇଲେ ୨୦୦୦ ଟଙ୍କା ଓ ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା ସହ ଲାଇସେନ୍ସକୁ ୩ ମାସ ପାଇଁ ନିଲମ୍ବିତ ରଖାଯିବ।

ନାବାଳକ ସଡ଼କ ନିୟମ ଉଲ୍ଲଂଘନ କଲେ ଏଥିପାଇଁ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ଦାୟୀ କରାଯିବ ଏବଂ ଯାନର ପଞ୍ଜୀକରଣ ରଦ୍ଦ ହେବ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ପୂର୍ବରୁ ୧୦୦ ଟଙ୍କା ଜରିମାନା ଥିବାବେଳେ ତାହାକୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର ଅବମାନନା କଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ହେବ।

Reply